କବିତା ଗୋଟେ ଶୀତ ସକାଳର

ଏମିତି ବଗିଚାଟେ ମୁଁ କେବେ ଦେଖି ନଥିଲି

ଦେଖିନଥିଲି ଏତେ ଫୁଲ ଓ ଭଅଁର

ଗଛ ଉହାଡରେ ଯୌବନ,

ସିମେଣ୍ଟ ଚଉତରା ବାର୍ଦ୍ଧକ୍ୟ,

ଘାସ ଗାଲିଚାରେ ଭବିଷ୍ୟତ,

ଆଉ ପାଦଚଲା ରାସ୍ତାରେ

କିଛି ଅସଜଡ଼ା ଦେହକୁ

ସଜାଡ଼ିବା ପ୍ରୟାସରେ ସମୟ l

ଫାଉନଟେନ ର ଜଳସବୁ

ସକାଳୁଆ ଖରାରେ ଇନ୍ଦ୍ରଧନୁ ଗଢୁଥିଲା

ଘାସ ଉପରେ ଶିଶିର ସବୁ ମୁକ୍ତାର ଭ୍ରମ

ବ୍ରେଞ୍ଚ ଉପରେ ଫୁଟିଥିବା ଫୁଲ କିନ୍ତୁ

ଭ୍ରମ ନୁହେଁ ସତେଜ ଲାଗୁଥିଲା l

ରାତିର କ୍ଲାନ୍ତି ସବୁକୁ

କମ୍ବଳ ଭିତରେ ଛାଡିଆସି

ଶୀତବସ୍ତ୍ରରେ ସକାଳ ଖରାକୁ

ସେ ସାଉଁଟି ରଖୁଥିଲା

ଓଠରୁ ଫିକା ପଡିନଥିଲା ରଙ୍ଗ

ଆଖିରୁ ଛାଡି ନଥିଲା କଜ୍ଵଳ

ଖସି ପଡୁଥିବା ଓଢଣୀକୁ ସଳଖି ଧରିରେ

ପାଉଁଜି ସଜାଡୁଥିଲା l

ଧିମେଇ ଯାଇଥିଲା ପାଦ

ଲାଜେଇ ଯାଇଥିଲା ଆଖି

ଚାଲୁ ଚାଲୁ ଥକି ଯାଇଥିବା

ଘର୍ମlକ୍ତ ଶରୀରକୁ

ସଳଖି ରଖିଲାବେଳକୁ……

କୁକର ସିଟିରେ ନିଦ ଭାଙ୍ଗିଥିଲା

ରୋଷଇଘରୁ ଶୁଭୁଥିଲା

ଆଜି ୱାକରେ ଯିବନିକି… ?

ଡେରି ହେଲାଣି ଯେ

—————–

ରତ୍ନମୟ ତ୍ରିପାଠୀ

ଅଧ୍ୟୟନ, ବଲାଙ୍ଗୀର

Want to read this poem in English ? Click Here

Want to read this poem in Hindi ? Click Here

ରତ୍ନମୟ ତ୍ରିପାଠୀ

ତ୍ରସ୍ତ ହୃଦୟ ନ୍ୟସ୍ତ କାହାପାଖେ, ଗସ୍ତ ମୋ ବନସ୍ତରେ l ଅନ୍ତ ନାହିଁ ଏବେ ଅନନ୍ତ ଆକାଶେ, ବ୍ୟସ୍ତ ମୁଁ ଉଡିବାରେ ll

Leave a Reply