ମୁଁ ଯେତେଥର ତୁଳୀଧରି
ନିଜର ଚିତ୍ର ଆଙ୍କିଲି
ପ୍ରତିଥର ନିଜକୁ ନୁହେଁ
ଆଉ କାହାକୁ ଦେଖିଲି
ଗୋଟେ ନୁହେଁ ଦୁଇଟି ନୁହେଁ
ପୁରା ସାତଟି ଚିତ୍ର
ଚିତ୍ରରେ କେବେ ନିଜକୁ ଦେଖି ନ ପାରି
ଏଥିରୁ ବିରତ ହେଲି
କାନ୍ଥଘଣ୍ଟା ର ଟିକ୍ ଟିକ୍ ଶବ୍ଦରେ
ରାତିର ସ୍ପନ୍ଦନ ମାପିଲି
ଗରମ ଚା ର ସୁଡୁକ ରେ ଶୁଣିଲି
ନିଦୁଆ ରାତିର ଘୁଙ୍ଗୁଡ଼ି
ଦୂରରୁ କେଉଁ ଅଜଣା ପକ୍ଷୀର
ଆର୍ତ୍ତନାଦରେ ଶୁଣିଲି
ନିରୀହ ଅବଳାଟିଏର ଚିତ୍କାର,
ବିଲୁଆର ହୁକେ ହୋ ଡାକରେ
ଶାସକ ର ଅପାରଗତାର
ତାସଲ୍ୟ ହସ ଶୁଣିଲି,
କୁକୁର ର ଭୋ ଭୋ ରଡ଼ିରେ
ଅପରାଧୀ ଟେ ଆରାମରେ ଖସିଗଲା ପରେ
ଜନତାଙ୍କ ଗିରଫ ଦାବିର
ସ୍ଲୋଗାନ ଶୁଣିଲି l
ଏଥର ଚୌକିଦାର ର
ହୁଇସିଲ୍ ରେ
ରାତିଟି ନୀରବିଗଲା
ଶୁଣାଗଲା, ଯିଏ ଯେଉଁଠି, ଯେମିତି ଅଛ
ସେମିତିଥାଅ,
ପ୍ରତିବାଦ କି ପ୍ରତିଉତ୍ତର ଦିଅନି
ଆଗକୁ ଆସୁଛି ଭଲଦିନ
ନୀରବରେ ସବୁସହି ବଞ୍ଚିପାରିବ ଯଦି
ବିଶ୍ୱଗୁରୁ ର ବିଶ୍ୱରୂପ ଦେଖିବ,
ପ୍ରଭୁଭକ୍ତ ନ ହୁଅ ପଛେ
ଅନ୍ଧଭକ୍ତ ନିଶ୍ଚୟ ହୁଅ
ନ ହେଲେ ଦେଶଛାଡି ଚାଲିଯାଅ l
ଏଥର ଶାଗଵାଲା ଓ ମାଛଵାଲା ର
ମିଳିତ କୋରସ ରେ
ନିଦ ଭାଙ୍ଗିଲା
ସାମ୍ନା ରାସ୍ତାରେ କେହିଜଣେ କହୁଥିଲେ
କାର୍ତ୍ତିକରେ ମାଛ କିଏ ଖାଇବ ହୋ… !
ଶାଗଵାଲା ଶାଗ ଦେ
ଏ ମାହାଙ୍ଗା ଯୁଗରେ
ହବିଷ୍ୟାଳି ହୋଇଯିବା ଭଲ
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
Want to read this poem in Hindi ? Click Here
Want to read this poem in English ? Click Here
