ଅପେକ୍ଷାରେ ସମୟ ସବୁ
ପଚିସଢ଼ି ନଷ୍ଟ ହୋଇ ନ ଥିଲା
ଜନ୍ମଦିନ ଟେବୁଲରେ
କ୍ୟାଣ୍ଡେଲର ସଂଖ୍ୟା
ନିଜଇଚ୍ଛାରେ ବଢ଼ି ନ ଥିଲା
ଜାଣି ଜାଣି ବାଟଭୁଲି ନ ଥିଲା ଭଅଁର
ଋତୁଚକ୍ରରେ ବଦଳି ନ ଥିଲା
ବଗିଚା ର ଫୁଲ
ଏମିତି କବିତା ସବୁ ଉତୁରି ନ ଥିଲେ
ଡାଏରୀରେ
ଫେରାର ଶବ୍ଦସବୁ
ମାନି ନ ଥିଲେ ବୋଲ
ଏମିତି ଗରଳ ସବୁ ପାଲଟି ନ ଥିଲା
ଅମୃତ
ଗଙ୍ଗଶିଉଳିର ମହକରେ
କେବେବି ଝାଉଁଳି ନ ଥିଲା
ଗୋଲାପର କଢ଼
ଦୂରପକ୍ଷୀ ସବୁ ବାହୁଡ଼ି ଗଲା ପରେବି
ଅସଜଡ଼ା ହୋଇ ନ ଥିଲା ନୀଡ଼
ଚକ୍ରବ୍ୟୁହ ଭିତରୁ ବି
ଫେରିଥିଲେ ଅଭିମନ୍ୟୁ
ନିଜଇଚ୍ଛାରେ ଯଯାତି ମୋହତ୍ୟାଗୀ
ଫେରାଇ ଥିଲେ ଯୌବନ
ନଦୀସବୁ ବାଟବଣା ହୋଇ
ନ ମିଶିଲେ ବି
ସାଗରରେ କମି ନ ଥିଲା
ପ୍ରେମିଳ ଲହଡି
ଚୋରାବାଲିରେ ପାଦଚି଼ହ୍ନ
ଲିଭିଗଲା ପରେ ବି
ଜଣାପଡୁ ଥିଲା ବାଟ
କହିଥିଲ ବୋଲି ଦେଖ
ବସନ୍ତ ବି ଛାଡ଼ିନି ଅଗଣା
ପ୍ରତିଶ୍ରୁତି ପାସୋରିଲେ
ଏଠି କିଏ ଜଣା କିଏ ବା ଅଜଣା
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
Want to read this poem in Hindi ? Click Here
Want to read this poem in English ? Click Here
