ମୁଁ ମୋ ନିଜ ଭିତରେ ଆବଦ୍ଧ ହେଲି
ନୀଡ଼ଛାଡି ଉଡିଥିବା ପକ୍ଷୀସବୁ ବାହୁଡ଼ିଲେ
ସଳଖି ଦେଖିଲା ପକ୍ଷୀଶାବକଟିଏ ସକାଳ
ପାଖେଇ ଆସିଲା ଦୂର ପାହାଡ଼
ଆହୁରି ଘନେଇଗଲା ଆତ୍ମୀୟପଣ ll
ଆଜିକାଲି ଖୁବ ଭଲ ଲାଗେ ମୋ ସହର
ବିକାଶପଥେ ଯାଉଥିବା ରାସ୍ତା
ବିସ୍ଥାପିତ ମାନଙ୍କ ପାଇଁ
ସବକେ ଲିଏ ଘର, ଘର ମେଁ ନଲ, ନଲ ମେଁ ଜଲ
ଶୁଣି ଶୁଣି ଖୁବ ଖୁସି ହେଲି ll
ନିଜକୁ ନିଜ ଭିତରେ ଖୋଜି ପାଇବା ହିଁ ଜୀବନ
କ୍ରମଶଃ ଯୋଡ଼ି ହେଉଥିବା ସମ୍ପର୍କ ସବୁକୁ
ସଦା ଯୋଡ଼ି ରଖି ପାରିବା ହିଁ ଜୀବନ
କାହାକୁ ଛାତିରେ ଜାଗାଟିକେ ଦେବା ହିଁ ଆତ୍ମୀୟପଣ
କାହା ଆଖିରୁ ଲୁହଟୋପେ ବୋହିବାକୁ ନଦେବା
ବୋଧେ ପ୍ରେମ ll
ପ୍ରେମର ଅନ୍ୟ ଅର୍ଥ ମୁଁ ଜାଣେନି
କାହାକୁ ପ୍ରେମ କରିଵି ଜାଣେନି
କହି ପାରିବିନି ପ୍ରେମିକା ଆଖିର ଠିକଣା
କହି ପାରିବିନି କାହିଁକି ନିଦହଜେ
କାହାପାଦ ପାଉଜି ଶବ୍ଦରେ
କହି ପାରିବିନି କେତେ ଆତ୍ମୀୟତା
ପ୍ରେମିକାର ଗାଢ଼ ଆଲିଙ୍ଗନରେ
ଜାଣିପାରେନି
ପ୍ରେମିକା ହସରେ ମୁକ୍ତି ନା ବନ୍ଧନ
କାମନା ନା କେବଳ ଛଳନା ll
ମୁଁ ଚାହେଁ ମୁକ୍ତିର ପଥଟେ ଥାଉ
ନିଜେବଞ୍ଚି ଅନ୍ୟକୁ ବଞ୍ଚିବାକୁ ଦେବାର
ଭାବନାଟେ ଥାଉ
ପ୍ରେମହେଉ କି ନ ହେଉ
ଶୁଭ କାମନାର ପ୍ରେମପକ୍ଷୀଟିଏ
ମୁକ୍ତ ଆକାଶରେ ସଦା
ଉଡ଼ାଣ ଭରୁଥାଉ ll
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
