ଏଇ ଏବେଏବେ ଘର ଭିତରୁ
ବାହାରି ସାରିଛି ଶୀତ
ଦେହରୁ, ମନରୁ, ଭାବନାରୁ
କାହାର ଫୋନକଲ ରେ
ଅଚାନକ ଭାଙ୍ଗିଥିବା ନିଦ
ଲୋଡ଼େ ଉଷୁମ ଛୁଆଁ,
ଚା କପର ଖୁସୁବୁରେ
ଲେଖା ସରିଥିବା
ଦିନର ସାରଣୀ ଲାଗେ ନୁଆଁ l
ମୋବାଇଲ ର ମେସେଜ ସବୁ
ସେତେଟା ଉତ୍ସାହ ଦିଏନି
କାହାର ନିଶ୍ଚୟ ଆସିବ ଡାକରେ
ପାଦ ବଢେ …
ତଥାପି ଅଳସ ଭାଙ୍ଗେନି,
ବହୁତ ଦିନ ହେଲା
ୱlକ ରେ ଆସିନ
ଶୀତକୁ ଡ଼ରୁଛ….
ନା ପ୍ରତିଶୃତି କୁ ?
ରାତିର ସ୍ବପ୍ନ
ଅଧାଲେଖା କବିତା
ଦେହର ଉଷ୍ଣତା
କମ୍ବଳ ଭିତରେ ନିରୀହ ଲାଗନ୍ତି,
ବାହାରେ
ପଣତରେ କୁହୁଡି
ପାପୁଲିରେ ଶିଶିର
ଆଖିରେ କଅଁଳ କିରଣ
ଅପେକ୍ଷାରେ ଥାନ୍ତି l
ଅଧରାତି ଯାଏ ପଢିଥିବା
ମୋହଲଗ୍ନ ର କବିତା ସବୁକୁ
ଆଉ ଯାଏ ନାହିଁ ହାତ,
ଆକୁଳ ଆଶ୍ଲେଷର ଆଶାରେ
ଝର୍କା ସେପାଖେ ହାତ ଠାରୁଥାଏ
ସକାଳର ଶୀତ ll
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
Want to read this poem in Hindi ? Click Here
Want to read this poem in English ? Click Here
