ବର୍ଷାଭିଜା ଦେହରେ ତାର
ଶହେଚାରି ଜର ଥିଲା
ଆଉ ବସ୍ତାନିରେ ଆଗକୁ
ପାଠପଢା ରେ ଡୋରି ବନ୍ଧାର ସଂକେତ
କେହିବି ବୁଝି ନଥିଲେ
କାହିଁକି ସେ ଭିଜି ଭିଜି
ଫେରିଲା ଘରକୁ l
ଅଚାନକ ମାଡି ଆସିଥିବା
ବର୍ଷାରେ….
କେମିତି ଖୋଜିଥାନ୍ତା ସେ
ଗୋଟେ ସୁରକ୍ଷିତ ସ୍ଥାନ
ଯେଉଁଠି ଲୁଚାଇ ପାରିଥାନ୍ତା
ନିଜକୁ ନିଜ ବସ୍ତାନି କୁ l
ଛୁଟିପରେ ସ୍କୁଲ ବାରଣ୍ଡା
ବାଟରେ ଥିବା କ୍ୟାଣ୍ଟିନ୍
ପାନଦୋକାନ, ରବି ଗ୍ୟାରେଜ
ଆଉ କାନ୍ଥରେ…
ବେଟି ବଚାଓ ବେଟି ପଢାଓ ଲେଖା ଥିବା
ସରକାରୀ ପ୍ରତୀକ୍ଷାଳୟ
କେଉଁଠି ବିତ ନାହିଁ
ଝିଅଟିଏ ପାଇଁ ସୁରକ୍ଷିତ ଛାତଟେ
ସେ କେମିତି ଅଟକିଥାନ୍ତା l
ସେ ଦେଖିଥିଲା ତାର ୟୁନିଫର୍ମ ଭିତରକୁ
ଲମ୍ବି ଆସୁଥିବା
ପନ୍ଦର ରୁ ପଞ୍ଚସ୍ତରୀ ବୟସ ର ଆଖି
ଆଶୀର୍ବାଦ ଦେବାବେଳେ
ଆଉଁସିବାର ମଜା ନେଉଥିବା ହାତକୁ
କେମିତି ମାଗିଥାନ୍ତା ଆଶ୍ରୟ l
ସେ ଶୁଣିଥିଲା ପାଖ ଚା ଦୋକାନରୁ
କିଛି ଅଧାବୁଝା ଶ୍ରୁତିକଟୁ ଶବ୍ଦ
ବସ୍ତାନି କୁ ଶୁଖାଇବାକୁ ଯାଇ
ସେ କେମିତି ଭିଜାଇ ପାରିଥାନ୍ତା
ହୃଦୟକୁ ଆତ୍ମାକୁ l
ତାର ସାଙ୍ଗଦିନେ କହୁଥିଲା
ମନ ଭିତରେ କଥା ଲୁଚାଇ
ରଖି ପାରିଲେ
ଲୁଚିହୁଏ ବର୍ଷାହେଲେ
କାହାର ବି ଛାତତଳେ
ସେ ଲୁଚାଇ ପାରିଲାନି ବୋଲି
ନିଜ କଥାସବୁ
ବସ୍ତାନି ସହ ଗୋଡ଼ରେ ବି ତାର
ଡୋରି ବନ୍ଧାହେଲା ll
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
Want to read this poem in Hindi ? Click Here
Want to read this poem in English ? Click Here
