ଆଶୀର୍ବାଦ ର ହାତ

ମୋ ଉପରକୁ ଉଠାଇଥିବା ହାତ

ପ୍ରତିବଦଳରେ

ଅଭିଶାପର ହାତଟିଏ ଉଠେଇ ପାରିବିନି

ବୋଲି ଜାଣିବି

ହାତ ଉଠାଇଛୁ ତ

ତୁ ବୋଧେ ଭୁଲିଯାଉଛୁ ଯେ

ତୋହାତ, ହାତର ଧମନୀ

ବହୁଥିବା ରକ୍ତ ଟିକକ ବି

ମୋର l

ମୋ ହାତର ଆଶ୍ରୟରେ

ହାତର ସ୍ପର୍ଶରେ, ଫୋଟକା ହୋଇ

ପଡିଥିବା ଗଣ୍ଠି ପ୍ରତି ବଦଳରେ

ଗଢ଼ାତୋର ହାତ, ଅଙ୍ଗ ପ୍ରତ୍ୟଙ୍ଗ

କାହା ହାତର ପିଠି ଥାପୁଡାରେ

ଏତେ ଆସ୍ପର୍ଦ୍ଧା ଦେଖାଉଛୁ ଧନ

ତୁ ବୋଧେ ଜାଣିନୁ

ଏଠି ଡାହାଣ ହାତର କ୍ଷତରେ

ମଲମ ଲଗାଇବାକୁ

ବାମହାତ ବି ଘୃଣାକରେ l

ଯେଉଁହାତ ଦିନେ ପାଦଧୂଳି ଯୋଗ୍ୟ

ସେ ହାତରେ ଶାସନ କରିବାକୁ

ଚେଷ୍ଟା କରନା

ନିଶ୍ୱାସ ଟିକକ ଚାଲିଗଲା ପରେ

ମୋର ଶବକୁ କାନ୍ଧ ଦେବାକୁ ବି

ହାତ ପାଇବନି ତୋର l

ବହିଗଲା ପାଣି, କହିଗଲା କଥାପରି

ଉଠାଇଥିବା ହାତବି ଫେରାଇ ହୁଏନା

ଶରୀରର ଦାଗ ସିନା ଲିଭାଇ ପାରିବୁ

ଛାତି ଭିତର କ୍ଷତକୁ

କିପରି ଭରିବୁ l

କେବେ ପାହାଡ଼ ଭାଙ୍ଗିବା

ଦେଖିନାହୁଁ ବୋଲି

କୋମଳ ହାତର ସହଯୋଗରେ

ବାହାରିଛୁ ପଥର ଭେଦିବୁ ତ

ଥରେ ଚଟାଣକୁ ଭାଙ୍ଗିଦେଖ

ଶକ୍ତହାତଟେ ନିଶ୍ଚୟ ଲୋଡିବୁ l

ଯେଉଁ ଆକାଶର ଛାତ ତଳେ

ମାଟିଭେଦି ଉପରକୁ ଉଠିଲୁ

ମୁଣ୍ଡ ଉପରୁ ହାତ ହଟିଗଲା ପରେ

ନିର୍ଭୟର ଛାତଟିଏ

କେଉଁଠୁ ପାଇବୁ l

କାହା ଉପରକୁ ହାତଟେ ଉଠାଇଦେବା

ବଡ଼କଥା ନୁହେଁରେ

ସମସ୍ତଙ୍କ ହାତଧରି ବାଟଚାଲି ପାରିଲେ ହିଁ

ମଣିଷ ହୋଇବୁ l

—————–

ରତ୍ନମୟ ତ୍ରିପାଠୀ

ଅଧ୍ୟୟନ, ବଲାଙ୍ଗୀର

Want to read this poem in Hindi ? Click Here

Want to read this poem in English ? Click Here

ରତ୍ନମୟ ତ୍ରିପାଠୀ

ତ୍ରସ୍ତ ହୃଦୟ ନ୍ୟସ୍ତ କାହାପାଖେ, ଗସ୍ତ ମୋ ବନସ୍ତରେ l ଅନ୍ତ ନାହିଁ ଏବେ ଅନନ୍ତ ଆକାଶେ, ବ୍ୟସ୍ତ ମୁଁ ଉଡିବାରେ ll

Leave a Reply