ଅଭିମାନ

ସବୁତ ଫେରିଲା…..

ପୁଣିଥରେ ଥୁଣ୍ଟାଗଛରେ

କଅଁଳିଲା ପତ୍ର

ବାଡ଼ିର ଆମ୍ବଗଛରେ

ଆସିଲା ବଉଳ

ମଲ୍ଲୀ ମହକରେ

ବାସିଲା ଅଗଣା

ଫଲ୍ ସା ଗଛ ସବୁ

ନାଲିଫୁଲରେ ଭର୍ତ୍ତି

ଏକୁଟିଆ ପକ୍ଷୀସବୁ

ବାଛିନେଲେ ଯେ ଯାହାର ନୀଡ଼

ଏବେ ପାର୍କରେ ଖାଲି ରହୁନି

ଗୋଟିଏ ଵି ବ୍ରେଞ୍ଚ

ଗୁପଚୁପ ଠେଲା ପାଖେ

ଖୁବ ଭିଡ଼

ଫୁଲ ଦୋକାନରେ ରହୁନି

ଗୋଟିଏ ଵି ବାସିଫୁଲ l

ଏବେ ଆଗପରି

ଭୁଲ ଠିକଣାରେ ହଜୁନାହିଁ

ଗୋଟିଏ ଵି ଚିଠି

ନୁଆଁକରି କିଣା ରେଡ଼ିଓରେ

ନିଈତି ବାଜୁଛି

ସଦାବହାର ଗୀତ

ତୁମ ଆସିବା ବାଟକୁ

ଖୁବ ନଜର କରୁଥିବା ଲୋକସବୁ

ମନରେଗା ରେ ବ୍ୟସ୍ତ

ଟୁପୁର ଟାପୁର କଥା ହେଉଥିବା

ଅପାଠୁଆ ମାଇପିସବୁ

ଜବର ଦଖଲ ଉଚ୍ଛେଦରେ

ସହର ବାହାରେ l

ଆଜାଦି କି ଅମୃତ ମହୋତ୍ସବରେ

ତ୍ରିରଙ୍ଗ ଲାଇଟ ସାଥେ

ଝଲସୁଛି ମୋ ପ୍ରିୟ ସହର

ବିକାଶ ଓ ବିସ୍ଥାପନ ଏକାସାଥେ

ଖେଳନ୍ତି ଫଗୁଣ ଅବିର

ସବୁତ ଫେରିଲା……

ସମୟ ସହ କେହିବି ରୁଷିନି

ତୁମେ କେଉଁ ଅଭିମାନ କରି ଗଲଯେ

ଗ୍ରୀଷ୍ମ, ବର୍ଷା, ଶୀତଯାଇ

ବସନ୍ତ ଫେରିଲା

ହେଲେ ତୁମେ ଆସିଲନି ll

—————–

ରତ୍ନମୟ ତ୍ରିପାଠୀ

ଅଧ୍ୟୟନ, ବଲାଙ୍ଗୀର

Want to read this poem in English ? Click Here

Want to read this poem in Hindi ? Click Here

ରତ୍ନମୟ ତ୍ରିପାଠୀ

ତ୍ରସ୍ତ ହୃଦୟ ନ୍ୟସ୍ତ କାହାପାଖେ, ଗସ୍ତ ମୋ ବନସ୍ତରେ l ଅନ୍ତ ନାହିଁ ଏବେ ଅନନ୍ତ ଆକାଶେ, ବ୍ୟସ୍ତ ମୁଁ ଉଡିବାରେ ll

Leave a Reply