ହେଇ… ଆସୁଛି ——-
ତୁମ ଆସୁଛି…… ର
ଉତ୍ତର ପାଇବାକୁ
ପଚାରି ପାରିନି କେବେ ଆସୁଛ
କି ଉତ୍ତର ବି ଦେଇ ପାରିନି କେବେ ଆସିବ
ଏବେ କ’ଣ କହି ଆଶ୍ୱାସନା ଦେବି
ସେହି ୬୦ ବର୍ଷର ବାପକୁ……
ଯିଏ ୩୦ ବର୍ଷର ପୁଅକୁ କାନ୍ଧେଇ
ପୋଡି ଆସିଛି ଶ୍ମଶାନରେ
କ’ଣ କହି ଭୁଲାଇବି
ସେଇ ମା’ ର ମନକୁ
ଯିଏ ଆଜିବି ସକାଳ ହେଲେ
ବାଡିରୁ ତୋଳି ଆଣୁଛି
ତୁମ ପସନ୍ଦ ର ମୁନ୍ ଗା ଶାଗ
କାହିଁକି ମୁଁ ନୀରବ ହେଇଯାଏ
ସେଇ ଦାରୋଟି ଓଠର ପ୍ରଶ୍ନରେ
ଅଙ୍କଲ…… ବାପା କେବେ ଆସିବେ…?
ଏ ଯାଏ ସାହସ ହେଇନି ମୋର ଦେଖିବାକୁ
ସେଇ ଆଖି ଯୋଡିକ
ଯାହାକୁ ମୁଁ କହି ଯାଇଥିଲି
ଥୟଧର …. ଚିନ୍ତାକରନି
ସବୁଠିକ ହେଇଯିବ
କିଛି ତ ଠିକ ହେଲାନି
ଆଜିବି ସକାଳ ଆସେ
ଆମ୍ବୁଲେନ୍ସେ ର ସାଇରନ ରେ
ଆଉ ରାତି ଆସେ ଶ୍ମଶାନର ନିଆଁରେ
କାଲି ତୁମ ଘର…… ଆଜି ଆଉ କାହାଘର
ଏବେ ବି ବାକିଅଛି
ଭଉଣୀ ବାହାଘର ର ଉଧାରୀ
ତୁମେ ଦିହାତ ହେଲାବେଳର
ଗଢ଼ା ଚାଲିଥିବା ଘର
ଏ ଯାଏ ସରିନି
ପରିବାର ର ସବୁ ଜଂଜାଳ ସରିଲା ବୋଲି
ଭାଗବତ ଟୁଙ୍ଗିକୁ ଯାଉଥିବା ପାଦ
ଏବେ ପୁଣିଥରେ କାମର ସନ୍ଧାନରେ
କିପରି କହିବି……
୬୦ ବର୍ଷ ପରେ ଏ କାଳରେ
ଘରୁ ନ ବାହାରିବାର ସରକାରୀ ନିୟମ
ହାତରେ ବି ସେତେ ବଳ ନାହିଁ ଯେ କହିବି
ହୋଇଯାଅ ଆତ୍ମନିର୍ଭର
ଏବେ ଯାହାକୁ ବି ଦେଖିଲେ
ଭୟ ଲାଗେ ପଚାରିବାକୁ
କେମିତି ଅଛ……?
କାହାକୁ ବା କହିବି କେବେ ଆସିବ…..?
ଡରଲାଗେ ସେବି କାଳେ
ହେଇ….. ଆସୁଛି କହି
ଛାଡି ଚାଲିଯିବ………
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
Want to read this poem in Hindi ? Click Here
Want to read this poem in English ? Click Here
