ଶ୍ରାବଣ ବର୍ଷାରେ ଭିଜିଥିବା ମାଟିରେ
ବୁଣିଦିଅ ସ୍ମୃତିର ମଞ୍ଜିସବୁ
ସେ ଅଙ୍କୁରିତ ହେଉ କି ନହେଉ
ଆଶା ଓ ବିଶ୍ୱାସର ସାରଦେଇ
ବାଛିନିଅ ନିରାଶାର, ଅନାବନା ଘାସ l
ଅପେକ୍ଷା କର…..
ଅପେକ୍ଷା କର…
କିନ୍ତୁ
ଅମୃତ କାଳରେ, ରୋପିଥିବା ଗଛରେ
ଅମୃତ ଫଳିବ
ଏ ବିଶ୍ୱାସ ରଖନା
ଦୂର ଦିଗବଳୟରେ
ଦିଶୁଥିବା ଇନ୍ଦ୍ରଧନୁରୁ
ବାଛିନିଅ ତୁମକୁ ସୁହାଇଲା ରଙ୍ଗ
ରଙ୍ଗକୁ ନେଇ ରାଜନୀତି କର
ଈଶ୍ୱରକୁ ଗଢ଼
ନହେଲେ ନିଜେ ଈଶ୍ୱରଙ୍କ ଦେବଦୂତ ହୋଇଯାଅ l
ନୁଆଁ ଇତିହାସ ଗଢ଼ା ହୋଇସାରିଛି
ଏବେ ପାଟିବନ୍ଦକରି ସମର୍ଥନ କର
ରାଜଦାଣ୍ଡରେ ଛିଡାହୋଇ
ଘୋଷଣାକର ତୁମ ଜାତି
ତୁମର ଇତି, ତୁମ ଜନ୍ମମାଟି l
ନଦୀପଠାର କାଶତଣ୍ଡିରେ
ଲୁଚାଅନି ତୁମ, କଳଙ୍କିତ ଦେହ
ପାରିଜାତ ରଙ୍ଗରେ ଭିଜା, ତୁମ ମନକୁ
କେଉଁ ନଈପାଣିରେ ଧୋଇବ,
କେଉଁ ତୁଠରେ ଗାଧୋଇ
ପବିତ୍ର କରିବ ତୁମ ଆତ୍ମାକୁ
କେଉଁ ପାହାଡ଼ ଶିଖରକୁ ଯାଇ
ଘୋଷଣା କରିବ ତୁମ ଜାତୀୟତା l
ଅପେକ୍ଷା କର
ବୁଣିଥିବା ସ୍ମୃତିର ମଞ୍ଜିସବୁକୁ
ଚଟାଣ ଭେଦିସେ ଉଠିବ
ସଫଳତାର ଫସଲ ସାଉଁଟି
ପୁଣି ଏ ଜାତି ହସିବ l
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
