ସାତରଙ୍ଗ ଦେବି ନାହିଁ ଆଉ
ତୋ ପାଇଁ ରଖିଛି ଖାଲି
ପ୍ରେମରଙ୍ଗ ଏବେ
ପତ୍ରଝଡ଼ାର ଥୁଣ୍ଟା ଶରୀରରେ
ପୁଣିଥରେ କଅଁଳିଛି ପତ୍ର
ଦେଖ !!!
କେମିତି ଏବେ ମୁଁ ଚିର ସବୁଜ ll
ଅନେକ ଦିନରୁ ବାଟ ଭୁଲିଥିବା ଭଅଁରକୁ
ଡାକି ଆଣିଛି ବଗିଚାକୁ
ତୋର ଇସାରାରେ ସେ ବୁଲିବ
ଏ ଫୁଲରୁ ସେ ଫୁଲ
ତୋର ସ୍ୱାଗତରେ ରଖିଛି
କଣ୍ଟାହୀନ ଗୋଲାପ ର ଫୁଲ
ମଲ୍ଲୀଫୁଲ ର ବାସ୍ନାରେ ମହକାଇଛି ଅଗଣା
ଏବେ ଏବେ ବଉଳ ଧରିଥିବା
ଆମ୍ବବୃକ୍ଷ ଗହଳ ରେ କୋଇଲି କୁ କହିଛି
ଗାଇବ ସେ ସ୍ୱାଗତ ସଂଗୀତ ll
କୃଷ୍ଣଚୁଡା ସବୁ ଦିଶିବେ
ଆହୁରି ରଙ୍ଗୀନ
ଏଥର ତୁ ଆସିଲେ
ଜମା କହିବିନି ମୁଁ ଭାରି ବ୍ୟସ୍ତ ବୋଲି
ତୋପାଇଁ ଲେଖିବି କବିତା
ତୁ ଯଦି ଚାହୁଁ
ମୋହଲଗ୍ନ ର କବି ଠୁ ଆଣି
ଶୁଣାଇବି ପ୍ରେମଗୀତ
ଚେଇଁ ରାତିସାରା ll
ତୁ ଉଠିବା ପରେ ହିଁ ହେବ ସକାଳ
ତୁ ଶୋଇଗଲେ ହୋଇଯିବ ରାତି
ଯାହାତୁ ଚାହିଁବୁ ହେବ
ସବୁ ମୁଁ ମାନିବି ମଥାପାତି
ଫଗୁଣ ର ଫଗୁରଙ୍ଗେ
ଅନେକଥର ଭିଜାଇଛି ତୋତେ
ଏଥର ଖାଲି ଭିଜାଇବି ପ୍ରେମରଙ୍ଗେ ତୋତେ l
ଶୀତଯାଇ ବସନ୍ତ ର ଆଗମନ ଏବେ
ପତ୍ରଝଡ଼ା ପରି ନଝଡ଼ୁ ମନ ଓ ବୟସ
ଚାହୁଁଯଦି ଆସି ଏ ବେଳାରେ
ପରଷିବୁ ପ୍ରେମର ପିୟୁଷ
ପରଷିବୁ ପ୍ରେମ ର ପିୟୁଷ ll
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
Want to read this poem in English ? Click Here
Want to read this poem in Hindi ? Click Here
