ତୁ ଶିଖାଇଥିବା ଶବ୍ଦସବୁ…

ତୁ ଶିଖାଇଥିବା ଶବ୍ଦସବୁ

ନିଃଶବ୍ଦ ହୋଇଗଲା ପରେ

କୋହ ଆଉ ଲୁହ ଭିତରେ

ମୋହବି ଭାଙ୍ଗି ଭାଙ୍ଗି ଯାଏ

ସମୟ ସହ ଆୟୁଷସିନା ବଢ଼େ

ହେଲେ ବୟସ୍କ ହୋଇ ପାରେନି ମନ

ମାଁ….. ଶବ୍ଦଟିଏ ପାଟିରୁ ବାହାରି ନପାରି

ଛାତି ଭିତରେ ଖୁବ କଷ୍ଟପାଏ

ହାତଟିଏ ସମର୍ଥ ନହେବା ଆଗରୁ

ଈଶ୍ୱର ଫେରାଇ ନିଅନ୍ତି ନିଜ ପ୍ରତିରୂପ

ବିନାରଙ୍ଗ, ବିନା କାନ୍ଭାସ୍ ରେ

ପ୍ରତିଛବିଟିଏ ଆଙ୍କିବାକୁ ହୁଏ

ଅଗଣା ଚଉଁରାରେ

ସଞ୍ଜଦୀପଟିଏ ଜଳେସିନା

ଘରଭିତରେ ଲିଭିଥିବା ଦୀପର ସ୍ଥାନ

ସେମିତି ଅପୂରଣୀୟ ରହେ

ରାତିର ସ୍ବପ୍ନରେ ଭାଙ୍ଗୁଥିବା ନିଦ

ମାନ ଅଭିମାନ ଭିତରେ ରୁନ୍ଧି ହେଉଥିବା ମନ

ନିଜକଥା କାହାକୁ କହିପାରୁ ନଥିବା ଓଠ

ତୋର ଅବର୍ତ୍ତମାନର 365 ଦିନ ଗଣି ପାରୁଥିବା ହାତ

କେହି ଆସିବା —ନ ଆସିବା ଭିତରର ଭାବ

ସବୁକୁ ଆୟତ୍ତ କରିବାକୁ ହୁଏ

କେହିଜଣେ ବୁଝାଏସିନା

ଯାହା ହେବାରଥାଏ ତାହାହୁଏ

ସବୁପଢି, ସବୁଶୁଣି, ସବୁବୁଝି ସରିଲା ପରେବି

ମାଁ……. ଶବ୍ଦଟିଏ ଭିତରୁ ବାହାରି ଆସିବାକୁ ବାଟଖୋଜୁ ଥାଏ

—————–

ରତ୍ନମୟ ତ୍ରିପାଠୀ

ଅଧ୍ୟୟନ, ବଲାଙ୍ଗୀର

Want to read this poem in English ? Click Here

Want to read this poem in Hindi ? Click Here

ରତ୍ନମୟ ତ୍ରିପାଠୀ

ତ୍ରସ୍ତ ହୃଦୟ ନ୍ୟସ୍ତ କାହାପାଖେ, ଗସ୍ତ ମୋ ବନସ୍ତରେ l ଅନ୍ତ ନାହିଁ ଏବେ ଅନନ୍ତ ଆକାଶେ, ବ୍ୟସ୍ତ ମୁଁ ଉଡିବାରେ ll

Leave a Reply