ତା’ ଓଦା ପଣତରୁ
ଝରୁଥିଲା ବାସଲ୍ୟର ଝର
ରୋଗୀଣା ଛୁଆର ମୁହଁରେ
ଆହାର ଦେବାପାଇଁ
ଶୁଖି ସାରିଥିଲା ଅମୃତର ଧାର ll
କାଳ ବୈଶାଖୀରେ
ଉଡି ଯାଇଥିବା ଫାଳେ ଛପର
ସଜା ହୋଇ ପାରିନି
ପ୍ରଶାସନର ସହାୟତା ପ୍ରତିଶୃତି
ଏଯାଏ ମିଳିନି ll
ଅଧିକ ରୋଜଗାର ପାଇଁ
ଦଲାଲ ସାଥେ ଯାଇଥିବା ମଣିଷ
ଆଉ ଫେରିଲାନି
ପଲିଥିନ ପାଳଟେ ଦେବ ବୋଲି
ଡାକି ନେଇଥିବା ସରପଞ୍ଚ ଘରୁ
ତେରବର୍ଷର ଝିଅ ଏଯାଏ ଆସିନି ll
ବର୍ଷାରେ ଧସକି ପଡୁଥିବା ମାଟିକାନ୍ଥ ଭିତରୁ
ରୁଈଚାଳ ସବୁ ନିରୀହ ଦିଶୁଥିଲା
ଭରା ଯୌବନରେ ଧସକି ସାରିଥିବା ମନ ନେଇ
ଓଦା ଲୁଗାରେ ସେ ଦେହ ଢ଼ାଙ୍କୁଥିଲା ll
ତାକୁ ମନେ ପଡୁଥିଲା ପିଲାବେଳର ଗୀତ
ମେଘ ବରଷଇ ଟୁପୁରୁ ଟାପୁରୁ
କେଶୁର ମାଇଲା ଗଜା
କେଉଁ ରାଇଜରେ ରହିଲେ ମୋ ରାଜା
ତେଲିଙ୍ଗି ବାଇଦ ବଜା ll
ଏଠି ତାକୁ କିଛିଵି ଭଲ ଲାଗୁ ନଥିଲା
ଆଖିରୁ ଗଡୁଥିଲା ଲୁହର ଧାର
ବାହାରେ ଝରୁଥିଲା ବର୍ଷାର ଝର
ମେଘ ଘଡଘଡି ବିଜୁଳି ସାଥେ
ରାତି ଅନ୍ଧାରରେ ମିଳେଇ ଯାଉଥିଲା
ଘରକୁ ଫେରିବାକୁ ପାଦ କାଢିଥିବା
କୁଆଁରୀ ଝିଅର ଅସହାୟ ସ୍ୱର ll
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
Want to read this poem in Hindi ? Click Here
Want to read this poem in English ? Click Here
