ନିଜ ଛାଇବି ଦେଖାଯାଉ ନଥିବା
ଅନ୍ଧାର
ଏବେ ଖୁବ ଆତ୍ମୀୟ ଲାଗେ
ସ୍ବପ୍ନସବୁ ଆସେ
ଅମାବାସ୍ୟା କି ପୂର୍ଣ୍ଣିମା
ସେ କିଛିବି ଜାଣେନି
ଛାତଉପରେ ପାରାସବୁ
ଖୁଦ ଖୁଣ୍ଟୁଖୁଣ୍ଟୁ
ଖୁଦି ଯାଆନ୍ତି ଗୋଟେ
ଅସ୍ପଷ୍ଟ ଚିତ୍ର
ସେ ଚିତ୍ର ବେଳେବେଳେ
ସ୍ପଷ୍ଟଦିଶେ
ବେଳେବେଳେ ଜୀବନ୍ତହୋଇ
ଡରାଏ
ଗୋପନ ରହସ୍ୟସବୁ
ନ କହିବାର ସର୍ତ୍ତରଖେ
ହେଇ…. ଆସୁଛି କହି
ଯାଇଥିବା ପ୍ରତିଶୃତି ସବୁ
ଆଉ ଆସନ୍ତି ନି
ଯେଉଁମାନେ ଆସନ୍ତି
ନିତିଦିନିଆଁ ଜଂଜାଳ ରାସ୍ତାରେ
ବାଟବଣା ହୋଇ
ପାସୋରି ହୋଇଯାନ୍ତି
ଋତୁଚକ୍ରରୁ ବସନ୍ତକୁ
ବିଦାୟ ଦେବାବେଳେ
ମାଗିଥିଲା ସିଏ ମୁଠାଏ ଅବିର
ଦେଇ ପାରିଲିନି ବୋଲି
ଏଯାଏଁ ରୂଷିଛି ଫଗୁଣ
ଏଇ ଏବେ ଏବେ
ଉପର ପାହାଚରୁ
ତଳ ପାହାଚକୁ
ଫେରାଇ ଆଣିଥିବା ପାଦ
ପଚାରେ
ସେ ଚିତ୍ର କାହାର….?
କ’ଣ ରହସ୍ୟ ତାହାର…?
ଆଗକୁ ବଢୁଥିବା ପାଦ
କ୍ରମେ ଫେରି ଆସୁଥାଏ
ନିରୁତ୍ତର ଓଠ
ନିଃସହାୟ କାୟାସହ
ନିରୀହ ଛାୟାକ୍ରମେ
ଅନ୍ଧାରରେ ମିଳେଇ ଯାଉଥାଏ ll
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
Want to read this poem in English ? Click Here
Want to read this poem in Hindi ? Click Here
