ଆଉଥରେ ଯଦି ସମୁଦ୍ର ମନ୍ଥନ ହୁଅନ୍ତା
କେଉଁ ପକ୍ଷରେ ଯୋଗ ଦିଅନ୍ତି
ଲଢ଼ି ପାରନ୍ତି କି ଅମୃତ ବଣ୍ଟନବେଳେ
ସମାନ ଅଧିକାର ପାଇଁ
ତପସ୍ୱିହୋଇ ମନା କରିପାରନ୍ତି କି
ଆଣିବାକୁ ସ୍ୱର୍ଗରୁ ଭାଗିରଥି
ଭରତ ହୋଇ ପାଦୁକା ନ ପୁଜି
ଫେରାଇ ଆଣି ପାରନ୍ତି କି ଶ୍ରୀରାମ
ଅର୍ଜୁନହୋଇ ବନ୍ଦ କରି ପାରନ୍ତି କି
ଯୁଦ୍ଧାୟ କୃତ ନିଶ୍ଚୟ
କ୍ଷଣିକରେ ବଦଳାଇ ପାରନ୍ତି କି
କାମନା ର ବିନାଶ ରେ ଦୁଃଖର ବିନାଶ
ମହୋଦଧି ରେ କାଠଗଡ଼
ଭାସିବାକୁ ନ ଦେଇ
ବିଶ୍ୱାବସୁ ହୋଇ ସୁରକ୍ଷା ଦେଇ ପାରନ୍ତି କି
ପ୍ରିୟ ନୀଳମାଧବ କୁ
କାହାର ନିର୍ଦେଶରେ ଘଟିଯାଏ ଘଟଣା ?
କାହାର ଇଶାରାରେ ବଦଳି ଯାଏ ଋତୁଚକ୍ର ?
ସବୁଯଦି ତୁମରି ଆୟତ୍ତ
ତେବେ, ମଣିଷର ପ୍ରହସନ ଦେଖି
କାହିଁକି ତୁମେ ନୀରବ ଇଶ୍ୱର……..
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
Want to read this poem in Hindi ? Click Here
Want to read this poem in English ? Click Here
