ଶହଶହ ବିସ୍ଥାପିତଙ୍କ ନିରୀହ ମୁହଁରୁ
କାହାକୁ କହିବି ଶୁଣାଇବାକୁ
ଜଳବନ୍ଦୀର କଥା
କିଏ କହିବ, କେମିତି ବୁଡିଗଲା
ନିଜ ଗାଁ ମନ୍ଦିର, ମଶାଣି, ଇସ୍କୁଲଘର
ପିଲାବେଳେ ଡାହିମାଙ୍କିଡି ଖେଳିଥିବା ଆମ୍ ବୁରେଇ
ବାପ ଅଜା ଅମଳରୁ ଭୋଗ ଖାଉଥିବା
ଗ୍ରାମଦେବୀ ଗୁଡ଼ି,
ଭାଇ ଭାଗରେ ପାଇଥିବା ସଜନାବାଡ଼ି
ଆଉ ନିଈତି ତୋତେହିଁ ତୁହି ରକ୍ଷାକର
ମୁଁ ଛାର ମଣିଷ ମାତର ବୋଲା ହେଉଥିବା
ଭାଗବତ ଟୁଙ୍ଗି ବୁଡ଼ିବାର କଥା l
କେମିତି ଲାଗିଥିଲା ଛାତିତଳ
ଯେତେବେଳେ କଟା ହେଉଥିଲା ଗାଁ ବରଗଛ
ଯେଉଁଠି ଡୋରିବାନ୍ଧି ଷୋହଳ ମଙ୍ଗଳବାର କଲାପରେ
ବଡ଼ଝିଅ ଯାଇଥିଲା ଶାଶୁଘର,
ଚାରିଝିଅ ପରେ ପୁଅଟିଏ ପାଇଁ
ନିଈତି ଖାଲି ଦେହରେ ଗଡିଥିବା ଦେଉଳ ପାହାଚରେ
ବୁଲଡୋଜର ଗଡ଼ିଲା ବେଳେ
କେମିତି ଆଘାତ ଲାଗିଥିଲା କଲିଜାରେ ,
ମହୁଲଝାରେ ପ୍ରେମିକାସହ ଭିଜିଥିବା
ପ୍ରଥମ ବର୍ଷାର ଅନୁଭୂତି ଏବେ ସ୍ମୃତିରେ
ସେ ମହୁଲଗଛ ସବୁ ଜଳବନ୍ଦୀ ରେ l
ହେତୁହେଲା ଦିନୁ ଶୁଣି ଆସୁଥିଲୁ
ଏ ଗାଁକୁ ଚଉଡ଼ା ରାସ୍ତାହେବ
କେନାଲ ପାଣିରେ ଦୋ ଫସଲି ଚାଷ ହେବ
ବିଲବାଡ଼ି ହସିବ, ଚାଷୀ ହସିବ
ଆଉ ଯିବାକୁ ପଡିବନି ଦାଦନ
ମୁଲ ଲାଗିବାନି ଇଟା ଭାଟିରେ
ସହିବାନି ସର୍ଦାରର ନାଲିଆଖି,
ଏବେ ବଳ ବୟସ ପାଇଲା ବେଳକୁ
ସେ ଜମି ନାହଁ, ଘରନାହଁ, ଜନ୍ମମାଟି ନାହିଁ
ନିଜ ଗାଁ ବି ନାହିଁ
ଏବେ ପରିଚୟ ମୋର ବିସ୍ଥାପିତ ଅଂଚଳବାସୀ l
ଇତିହାସ ଲେଖିବ ପରା…….?
ସରକାରୀ ପଇସାରେ ତିଆରିଛି
ଆସ ମୋ ଏସି ଲଗା ମାର୍ବଲ ଘରକୁ
ତୁମକୁ ଲାଲୀଚାହା ନୁହେଁ କଫି ପିଆଇବି
ବୁମ ଆଗରେ ବାଇଟ ଦେବି
କହିବି ମୋ ବୁଡିଯାଇଥିବା ସଭ୍ୟତାର କଥା
ଛାତିତଳେ କୋହଚାପି
ଏ ଅଂଚଳର ଜୀବନରେଖା
ଗଢ଼ାହେବାର କଥା ll
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
Want to read this poem in English ? Click Here
Want to read this poem in Hindi ? Click Here
