କିଛି ମୁଖୁରା ଶବ୍ଦ ମାନଙ୍କୁ ଓଢଣୀ ମିଳିଗଲା
ରାତିର ଅନ୍ଧାରରେ ଘଟିଯାଇଥିବା ପାପକର୍ମକୁ
ଘୋଡାଇ ଦିଆଗଲା
ସକାଳର କଅଁଳ ସୂର୍ଯ୍ୟକିରଣରେ
ଅବେଳରେ ଆସିଥିବା ଝଡ଼ରେ
ନୂତନ ସମ୍ଭାବନାର ସ୍ବପ୍ନ ଦେଖାଗଲା
ନିଇତି, ରୁଦାଲି ଗାଉଥିବା ଓଠକୁ କୁହାଗଲା
ଗାଇବାକୁ ମାଙ୍ଗଳିକ ଗୀତ l
ଗୋଟେ ଅଂଚଳର ଜୀବନରେଖା ଭିତରେ
ଜୀବନ ହାରିଥିବା, ନୀରବସାକ୍ଷୀ ମାନଙ୍କ ପାଇଁ
ସ୍ଥାୟୀପଟ୍ଟା ଓ ବନୀକରଣରେ ଦିଆଗଲା
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ପ୍ରଧାନମନ୍ତ୍ରୀ ସଡ଼କରେ ଧାଉଁଥିବା
ଘୁର୍ଣ୍ଣିଗାଡି ଭିତର ଦୁଃଖକୁ ଘୋଡାଇ
ବର୍ଷକୁ ଦଶହଜାର ଟଙ୍କାର ହସ ପରଷାଗଲା l
ଇଟାଭାଟିରେ ଯୌବନ ହରାଇଥିବା କୁଆଁରୀ
ସ୍କୁଲରୁ ଫେରିବା ବାଟରୁ ଘରକୁ ପହଞ୍ଚିନଥିବା ତରୁଣୀ
କନ୍ୟାଶ୍ରମରେ ମାତୃତ୍ୱ ଲଭିଥିବା କିଶୋରୀ
ଗହଳିରାସ୍ତାରେ ବିବସନା ହୋଇଥିବା ନାରୀ
ସମସ୍ତଙ୍କ ଖବରକୁ ହଟାଇ ଦିଆଗଲା
ସମ୍ବାଦପତ୍ରରୁ
ଅଦିନବର୍ଷା ପାଣିରୁ, ଶୋଷ ମେଣ୍ଟାଉଥିବା
ଅଙ୍କୁରିତ ବୀଜ
ସନ୍ଧ୍ୟାଦୀପ ଆଲୁଅରେ, ଓଢଣା ସଳଖି
ଗୁଣୁଗୁଣୁ ସ୍ଵରେ ମୁଣ୍ଡିଆ ମାରୁଥିବା କୁଳବଧୂ
ମନ୍ଦିରର ଘଣ୍ଟଘଣ୍ଟା ଆଳତି ସ୍ୱରରେ
ପ୍ରକମ୍ପିତ ଗାଁ ପରିବେଶ
ନଇପଠାରୁ ଘୋଟି ଆସୁଥିବା ଅନ୍ଧାର
ଡାହାଣୀ ଆଲୁଅ ସାଥେ, ଭାସିଆସୁଥିବା
ହୁକେ ହୋ ର ବିକଟାଲ ସ୍ୱର
ସବୁକିଛି ନୀରବି ଯାଉଥିଲା l
ଅବତାରୀ ଆତ୍ମାମାନେ, ଯୁଆଡେଗଲେ
ସେଠାରେ ଲେଖାହେଲା , ପୁରୁଣା ଲିଭାଇ
ନୁଆଁ ଇତିହାସ
ଦେଶର ଆତ୍ମାକୁ ଗାଁରେ ନ ଭେଟି
ତାକୁନେଇ ଛାଡି ଦିଆଗଲା , ବିଦେଶରେ
ସେ ଫେରିବ ସଂଭ୍ରlନ୍ତ ଓ ବିକଶିତ ହୋଇ
ସ୍ୱାଧୀନତାର ଶହେବର୍ଷ ପୂରଣ ବେଳାରେ
ଏପଟେ- ଦିଗବଳୟର ସୂର୍ଯ୍ୟାସ୍ତ କିରଣରେ
ଘୋଡାଇ ଦିଆଗଲା ସାମ୍ପ୍ରଦାୟିକତା ର ରକ୍ତମାଟିକୁ l
କିଛି କଥାକୁହା ଓଠକୁ ଏବେ , ବନ୍ଦ କରିଦିଆଯିବ
ପରିଚିତ ମୁହଁ ସବୁକୁ କବର ଦିଆଯିବ
ପଞ୍ଜୁରୀ ଭିତରେ ରଖି ଶିଖାଯିବ
ଚକ୍ରଧର,ଚକ୍ରଧର, ପକ୍ଷୀଜନ୍ମରୁ ପାରିକର
ଆବରଣ ହଟାଇ, ନିଜେ ଜନ୍ମନେବା ଆଗରୁ
ଫୁଟାଇ ଦିଆଯିବ ଫୁଲକଢ଼ିକୁ ଅବେଳରେ
ହସର ମୁଖାଟିଏ ମୁହଁରେ ଲଗାଇ
ଲୁଚାଇ ଦିଆଯିବ ଅସଲ ପରିଚୟ
ସେ ପୁଣି ଅପେକ୍ଷା କରିବ ସକାଳକୁ
ଅନ୍ଧାରର ଆବରଣ ହଟାଇ
ପୂର୍ବଦିଗେ ସିନ୍ଦୁରା ଫାଟୁଥିବା, ନୂତନ ସମ୍ଭାବନାକୁ l
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
Want to read this poem in Hindi ? Click Here
Want to read this poem in English ? Click Here
