ଆ କିଛିକାଳ ନୀରବରେ ବସିବା
ବାହାରେ ଯେଉଁ ଋତୁର ବି ଆସର ଚାଲିଥାଉ
ଆମେ କେବଳ କୋଣାର୍କର ପ୍ରତିମୂର୍ତ୍ତି ସାଜିବା
ଆମକୁ ଦେଖି ଯାହା ମନରେ ଯାହାବି ଭାବନା ଆସୁ
ଆମେ କେବଳ ଦୁହେଁ ଦୁହିଁଙ୍କୁ ଭାବିବା
ଆ କିଛିକାଳ ନୀରବରେ ବସିବା l
ତୋର ମନେଥିବ ପିଲାବେଳର ସନ୍ଧ୍ୟାବେଳ
ନଦୀକୂଳ, ତୋଟାମାଳ, ବହୁଚୋରୀ ଖେଳ
ମିଛି ମିଛିକା ରାଗରୁଷା, ମାନ ଅଭିମାନ
ପିଲାବେଳ ର କାଗଜଡ଼ଙ୍ଗା କୁ ଆଉ ଥରେ ଖୋଜିବା
ଆ କିଛିକାଳ ନୀରବରେ ବସିବା
ତୋର କବରୀ ରୁ ଖସି ପଡିଥିବା ଫୁଲ
ରପ୍ ଖାତାର ଅଧାଲେଖା କବିତା
ନଦୀବାଲି ରେ ଖୋଜି ଖୋଜି
ମିଳିଲାନି କହି ଲୁଚେଇ ରଖିଥିବା
ତୋର ପାଦର ପାଉଜି,
ଫଗୁଣରେ ମୋତେ ମଖେଇଥିବା
ତୋ ହାତଲଗା ଅବିର
ଏବେବି ସାଇତା ମୋ ପାଖରେ
ପୁରୁଣା ଡାଏରୀ ଖୋଲି ସ୍ମୃତି ର ଗଜଲ ପଢିବା
ଆ କିଛିକାଳ ନୀରବରେ ବସିବା l
ବର୍ଷାର ବାରିବିନ୍ଦୁରେ ମନରେ ଆସୁ ମାଦକତା
ଶୀତର କୁହୁଡିରେ ଦେହଲୋଡୁ ପ୍ରେମର ଉଷ୍ଣତା
ନିଦାଘର ତାତିରେ କି ବସନ୍ତର ମଳୟରେ
ଏକା ଏକା ପ୍ରେମକୁ ବସି ଅନୁଭବୀବା
ଆ କିଛିକାଳ ନୀରବରେ ବସିବା
ମୁଁ ଜାଣେ ତୁ ଦୁନିଆର ଆଖିକୁ ଖୁବ ଭୟକରୁ
ଆଉ ମୁଁ ସବୁଝଡ଼ କୁ ଛାତିପାତି ଦିଏ
ଏଠି ଆମ ନୀରବ ମୁହୂତ୍ତକୁ ନେଇ
କାହା ବେଡ଼ରୁମ ରେ ହୋଇପାରେ କୋଳାହଳ
ସେଥିପାଇଁ ଚାରିପଟେ ସୁଦୃଶ୍ୟ ପ୍ରାଚୀର ଟେ ଗଢିବା
ଆ କିଛିକାଳ ନୀରବରେ ବସିବା l
ତୁ ମନା କରିପାରୁ ମାଖିବାକୁ ଶ୍ରଦ୍ଧାର ଅବିର
ଆଖିଫେରାଇ ନେଇପାରୁ ପ୍ରତ୍ୟାଖାନ କରି
ମୋ ହାତର ପ୍ରୀତି ଉପହାର
ପ୍ରତିଶୃତି ଦେଲି ନା ପ୍ରଶ୍ନକରିବି
ନା ଉତ୍ତର ମାଗିବି
ଦୁହେଁ କେବଳ ନୀରବ ପ୍ରେମରଙ୍ଗରେ ଭିଜିବା
ଆ କିଛିକାଳ ନୀରବରେ ବସିବା l
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
Want to read this poem in Hindi ? Click Here
Want to read this poem in English ? Click Here
