ଆଉକିଛି ଶବ୍ଦ କହିବାକୁ ବାକିଅଛି
ଆଉକିଛି ଶବ୍ଦ ଶୁଣିବାକୁ ବାକିଅଛି
ପୂରଣ କରିବାକୁ ଅଛି କିଛି ପ୍ରତିଶୃତି
ସୁଝିବାକୁ ଅଛି କିଛି ଋଣ
କିଛି ଅନାମିତ କବିତାର ଶୀର୍ଷକ ଦେବାର ଅଛି
କିଛି ଶବ୍ଦର ଗଛକୁ ଯତ୍ନରେ ବଢ଼େଇବାର ଅଛି
ଯେଉଁମାନେ କିଛି ନ କହି ଚାଲିଗଲେ
ସେମାନଙ୍କ ସ୍ମୃତିରେ ନୀରବ ରହିବାର ଅଛି
ଦେବା ନେବାର ସଂସାରରୁ ଗଲାବେଳେ
କିଛି ନ ନେଇ ଯାଇଥିବା ଆତ୍ମା ମାନଙ୍କୁ
ତାଙ୍କ ଅର୍ଜିତ ଧନର ମାଲିକାନା ପଚାରିବାର ଅଛି
ବାକିଅଛି ବାକିଖାତା ର ହିସାବ
ବାକିଅଛି ଦେବଋଣ ର ହିସାବ
ବାକିଅଛି ଦେଶଭକ୍ତି ର ହିସାବ
ହିସାବ ହୋଇ ନଥିବା ବୟସର ବିନିଦ୍ର ରଜନୀ ସବୁକୁ
ସକାଳ ହେବା ଆଗରୁ, କୂଳରେ ପହଞ୍ଚାଇବାର ଅଛି
ଲଗାଇଥିବା କୃଷ୍ଣଚୂଡ଼ା ଗଛରେ ଆଉ ଫୁଲ ଆସୁନାହିଁ
ସବୁପତ୍ର ଝଡି ସାରିଥିବା ବଗିଚାରେ ଆଉଥରେ
ପାଣି ମଡ଼ାଇବାର ଅଛି
ମାଟିଠାରୁ ଆକାଶ ଦୂରତା ମାପିବାକୁ
ସରିଅଛି ଯେତକ ଆୟୁଷ
ଦିଗବଳୟ ଦେଖିଲା ପରେ
ନିଜପାଇଁ ତାସଲ୍ୟ ହସଟେ ହସିବାର ଅଛି
ଏଇ ଏବେ ଏବେ ଉପରକୁ ଉଠିଥିବା ହାତକୁ ସଳଖି
ପ୍ରିୟ ସହରର ଛାତିରୁ ନିଜର ନାଁକୁ ଲିଭାଇ
ଶେଷ ବିଦାୟ…… ଶବ୍ଦଟେ କହିବାର ଅଛି
—————–
ରତ୍ନମୟ ତ୍ରିପାଠୀ
ଅଧ୍ୟୟନ, ବଲାଙ୍ଗୀର
Want to read this poem in English ? Click Here
Want to read this poem in Hindi ? Click Here
