ଏବେ ନୀରବତାର ଋତୁ

ଏବେ ପୁଣି କିଛିକାଳ ନୀରବରେ

ରହିବାକୁ ହେବ

ପାଣି ଭିତରକୁ ଫିଙ୍ଗିଥିବା

ଟେକାଟିଏ ର ତରଙ୍ଗରେ

ଉଠିଥିବା ସୁନାମୀର

ସାମ୍ନା କରିବାକୁ ହେବ l

କିଏ ଜାଣିଥିଲା

ସୁଅ ପାଣିରେ ଭାସି ଆସିଥିବା

କଙ୍କଡାର ଚୋଟରେ

ମିଳେଇ ଯିବ ଗୋଟେ

ପୁରୁଣା ସମ୍ପର୍କ

ଏବେ ଆଉ ନୁଆଁ ସମ୍ପର୍କ ନ ଗଢି

ନୀରବରେ ରହିବାକୁ ହେବ l

ବେଳେବେଳେ ଦର୍ପଣ ବି

ମିଛ କହେ

ନିଜ ଛାଇବି ଭୁଲ କରିଦିଏ

ଜୀବନର ସବୁଯାକ ଗଣିତ

କିଏ ଜାଣିଥିଲା

ନୁଆ ରୋପିଥିବା ଗଛସବୁ

ଏତେ ଶୀଘ୍ର ବିଷଫଳ ଦେବ

ଏବେ ଗରଳ ସବୁ ଶୋଷି

ନୀଳକଣ୍ଠ ସାଜିବାକୁ ହେବ l

ବାଟ ହୁଡ଼ା ବାଟୋଇକୁ

ବାଟ ଦେଖାଅ ନାହିଁ

ଭୋକିଲାକୁ ନ ଦିଅ

ବୁନ୍ଦେ ତୋରାଣି

କିଏ ଜାଣେ ସହାୟତାର

ବଢ଼ିଥିବା ହାତରେ

ଲୁହାର ଶିକୁଳି ବାନ୍ଧିବାକୁ ହେବ l

ମିଛସତର ପଶାଖେଳରେ

ମିଛ ଜିତିଯାଏ

ସତକୁ ସତ କହିବାକୁ

ସୁଯୋଗ ବି ମିଳେନି

ସମୟର ଟିକ ଟିକ ଶବ୍ଦକୁ

ନିଜେ ଶୋଷିନେଇ

ଏବେ ଅନେକ ଦିନକାଳ

ନୀରବରେ ରହିବାକୁ ହେବ

—————–

ରତ୍ନମୟ ତ୍ରିପାଠୀ

ଅଧ୍ୟୟନ, ବଲାଙ୍ଗୀର

Want to read this poem in English ? Click Here

Want to read this poem in Hindi ? Click Here

ରତ୍ନମୟ ତ୍ରିପାଠୀ

ତ୍ରସ୍ତ ହୃଦୟ ନ୍ୟସ୍ତ କାହାପାଖେ, ଗସ୍ତ ମୋ ବନସ୍ତରେ l ଅନ୍ତ ନାହିଁ ଏବେ ଅନନ୍ତ ଆକାଶେ, ବ୍ୟସ୍ତ ମୁଁ ଉଡିବାରେ ll

Leave a Reply